ଭାରତରେ ବୋଇଂ 737-MAX ବିମାନ ଉଡାଣ କାହିଁକି ହେଲା ବନ୍ଦ, ପଢନ୍ତୁ ପୁରା ରିପୋର୍ଟ…

ନୂଆଦିଲ୍ଲୀ (ଏନଟିପି ବ୍ୟୁରୋ): ଭାରତରେ ଉଡ଼ିପାରିବନି ବୋଇଂ 737-MAX ବିମାନ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବିମାନରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ସୁନିଶ୍ଚିତ କରିବା ଯାଏଁ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଡେଲର ବିମାନ ଚଳାଉଥିବା ଏୟାରଲାଇନ୍ସ, ଏୟାରକ୍ରାଫ୍ଟ ନିର୍ମାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି DGCA ପକ୍ଷରୁ କୁହାଯାଇଛି। ବୋଇଂ 737 MAX 8 ବୋଇଂ କମ୍ପାନୀର ଅତ୍ୟାଧୁନିକ ବିମାନ  ଏହି ମଡେଲର ବିମାନ ୨୦୧୭ ମେ’ ରୁ ବ୍ୟବସାୟିକ ଉଡାଣ ଆରମ୍ଭ କରିଥିଲା।

୫ ମାସ ମଧ୍ୟରେ ଏହି ମଡେଲର ଦୁଇଟି ବିମାନ ଦୁର୍ଘଟଣା ପରେ ଏହାର ନିରାପତ୍ତା ନେଇ ଉଠିଛି ପ୍ରଶ୍ନ। ରବିବାର ନାଇରୋବି ଯାଉଥିବା ଇଥିଓପିଆନ୍ ଏୟାରଲାଇନ୍ସର ବୋଇଂ 737 MAX 8 ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଭାରତୀୟଙ୍କ ସହ ୧୫୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ୨୦୧୮ ଅକ୍ଟୋବର ୨୯ରେ ଇଣ୍ଡୋନେସିଆର ଲାୟନ ଏୟାର କମ୍ପାନୀର ଏହି ବିମାନ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଜାଭା ସମୁଦ୍ରରେ ଖସି ପଡିବାରୁ ସମସ୍ତ ୧୮୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

ଦୁଇ କମ୍ପାନୀ ଦୁର୍ଘଟଣାର ୨-୩ ମାସ ପୂର୍ବରୁ ହିଁ ଦୁଇଟି ଯାକ ବିମାନ କିଣିଥିଲେ। ଇଥିଓପିଆ ଦୁର୍ଘଟଣା ପରେ ଚୀନ୍, ଇଣ୍ଡୋନେସିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ମଙ୍ଗୋଲିଆ ସହ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏହି ମଡେଲର ସବୁ ବିମାନ ଚଳାଚଳକୁ ବନ୍ଦ କରିଦେଇଛନ୍ତି। ସେହିପରି ଦୁର୍ଘଟଣା ପରେ ଇଥିଓପିୟାନ୍ ଏୟାରଲାଇନ୍ସ ଏହି ମଡେଲର ବିମାନ ଚଳାଚଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି ବୋଲି ସୂଚନା ମିଳିଛି ।

Follow by Email
WhatsApp