ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଦାନ କରାଯିବ ଦ କଳିଙ୍ଗ-ଏଫସିସି ପୁରସ୍କାର

ଏନଟିପି(ନୂଆଦିଲ୍ଲୀ):

ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ଚଳିତ ବର୍ଷଠାରୁ ପ୍ରଦାନ କରାଯିବ ଦ କଳିଙ୍ଗ-ଏଫସିସି ପୁରସ୍କାର । ଏଫସିସି ଏବଂ କିଟ୍‌ ଓ କିସ୍‌ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରିବେ । ପୁରସ୍କାର ପ୍ରଦାନରେ ସହଯୋଗ କରିବାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ସହଯୋଗ ଲୋଡିଥିଲା ଦ ଫରେନ୍‌ କରସ୍‌ପଣ୍ଡେଣ୍ଟ କ୍ଲବ ଅଫ ସାଉଥ ଏସିଆ, ଏଫସିସି । ଯାହାକୁ ଗ୍ରହଣ କରିଛନ୍ତି ଡ.ସାମନ୍ତ । ବିଶ୍ୱ ମିଡିଆରେ ଭାରତ ସହ ସାର୍କ ଦେଶ ସମୁହର ଖବରର ପ୍ରସାରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକଙ୍କୁ ପୁରସ୍କୃତ କରାଯିବ । କିଟ୍‌ ବିଶ୍ୱବିଦ୍ୟାଳୟରେ ଭାରତ ସହ ୫୦ଟି ଦେଶର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେଲ୍‌ଫ ଫାଇନାନ୍‌ସିଂ ବିଶ୍ୱବିଦ୍ୟାଳୟ ଭାବେ ଟାଇମ୍‌ସ ହାୟର ଏଜୁକେସନ ୱାର୍ଲଡ ୟୁନିଭର୍ସିଟି ର‍୍ୟାଙ୍କିଂରେ ସ୍ଥାନ ପାଇବାରେ ଭାରତରେ ପ୍ରଥମ ବିଶ୍ୱବିଦ୍ୟାଳୟ କିଟ୍‌ ।

ସେହିପରି କିସ୍‌ ବିଶ୍ୱର ଏକ ମାତ୍ର ଆବାସିକ ଜନଜାତି ବିଶ୍ୱବିଦ୍ୟାଳୟ । ଯେଉଁଠି ୨୭ ହଜାରରୁ ଅଧିକ ଆଦିବାସୀ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢୁଛନ୍ତି । ୧୫ ହଜାର ପାସ୍‌ ଆଉଟ୍‌ ହେଲେଣି । ଏହି ଦୁଇଟି ଅନୁଷ୍ଠାନର ସହଯୋଗରେ ଚଳିତ ବର୍ଷଠାରୁ ୨୦୨୩ ପର୍ଯ୍ୟନ୍ତ କିଟ୍‌ ଓ କିସ୍‌ ଦ କଳିଙ୍ଗ-ଏଫସିସି ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ କିଟ୍‌ ପ୍ରତିବର୍ଷ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ପ୍ରତିଟି କ୍ୟାଟାଗୋରି ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିବ । ପ୍ରତିବର୍ଷ ମାର୍ଚ୍ଚ ତୃତୀୟ ସପ୍ତାହରେ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ଆବେଦନ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ-୧୫ । ପ୍ରିଣ୍ଟ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର, ଟେଲିଭିଜନ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର, ରେଡିଓ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର, ଫଟୋ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର ଏବଂ ଅନ୍‌ ଲାଇନ ଜର୍ଣ୍ଣାଲିଷ୍ଟ ଅଫ ଦ ଇୟର, ଏପରି ୫ଟି କ୍ୟାଟାଗୋରୀରେ ପୁରସ୍କାର ପ୍ରଦାନ କରାଯିବ ।

Follow by Email
WhatsApp