ପିପିଲି ପିଡୀତାଙ୍କ ସହ ଯେଉଁ ଘଟଣା ଘଟିଥିଲା, ତାହା ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପଦ ଛାଡିବାକୁ ବାଧ୍ୟ କରିଥିଲା, ଜଣେ ଆଇଆଇସିଙ୍କ ବିବାଦୀୟ ଭୂମିକା ଉପରେ ପ୍ରଶ୍ନବାଚୀ ଲଗାଇଥିଲା, ରାଜ୍ୟର ରାଜନୈତିକ ଦଳଙ୍କ ମନରେ କ୍ରୋଧ ସୃଷ୍ଟି କରିଥିଲା, ରାସ୍ତାରେ ନିଆଁ ଜଳିଥିଲା, ଦେଶ ବିଦେଶର ଗଣମାଧ୍ୟମ ନଜରକୁ ଆସିଥିଲା, ଅପରାଧର ପୂରା ଫର୍ଦ୍ଦକୁ ନେଇ ଏପିଶୋଡ ପ୍ରସାରିତ ହୋଇଥିଲା, ହେଲେ ଶେଷରେ ଫଳ କଣ? ଅପରାଧୀ ନିର୍ଦ୍ଦୋଷ ଆଉ ଅପରାଧ ବୋଧେ ହୋଇନାହିଁ?ହତ୍ୟା ହୋଇଛି, କିନ୍ତୁ ହତ୍ୟାକାରୀ ନାହାନ୍ତି । ୭ ବର୍ଷ ତଳେ ଯେଉଁ ଘଟଣାକୁ ନେଇ ରାଜ୍ୟ ରାଜନୀତି ଦୋହଲି ଉଠିଥିଲା, ଆଜି ସେହି ପ୍ରସଙ୍ଗ ପାଇଁ ଅସମ୍ଭବ ନୀରବତା ଦେଖିବାକୁ ମିଳିଛି । କୋର୍ଟରେ ଅପରାଧୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଗଲେ, ତଥ୍ୟ ପ୍ରମାଣ ମିଳିଲା ନାହିଁ । କୋର୍ଟରେ କିଛି ବି ସାବ୍ୟସ୍ତ ହେଲା ନାହିଁ । ସମସ୍ତଙ୍କ ଆଖି ଆଗରେ ସବୁକିଛି ଘଟୁଥିଲା, ଆଉ ଶେଷରେ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇଗଲା । ବ୍ୟବସ୍ଥାର ଏହା ହେଉଛି ସବୁଠାରୁ ବିବାଦୀୟ ଦିଗ, ଯାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଦନ୍ତର ତମାମ ଦିଗ ଆଉ ତଥ୍ୟ ପ୍ରମାଣକୁ ନେଇ ସମୀକ୍ଷା କରାଯାଉଛି ।୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲିର ଅର୍ଜୁନଗୋଦା ଗାଁରେ ଯେଉଁ ଭୟଙ୍କର ଘଟଣା ଘଟିଥିଲା, ଏହା ମାମଲା ଆକାରରେ ପୋଲିସ ଷ୍ଟେସନରେ ପହଁଚୁ ପହଁଚୁ ୨୦୧୨ ଜାନୁୟାରୀ ୯ ତାରିଖ ହୋଇଗଲା । ଜଣେ ପିଡୀତା ନ୍ୟାୟ ପାଇବା ବଦଳରେ ଆରମ୍ଭରୁ ହିଁ ଆମ ବ୍ୟବସ୍ଥା ତାକୁ ହରାଇଦେବାକୁ ବାଧ୍ୟ କରିଥିଲା । ପୋଲିସ ମାମଲା ରୁଜ୍ଜୁ କରୁନଥିଲା । ଅର୍ଥାତ୍ ପ୍ରଥମରୁ ହିଁ ପିପିଲି ପିଡୀତାଙ୍କ ସହ ଅନ୍ୟାୟ ହେବାର ରାସ୍ତା ଖୋଲିଯାଇଥିଲା ।ପିପିଲି ପୀଡ଼ିତାର କାହାଣୀ ବିରୋଧୀଙ୍କ ପାଇଁ ବଡ ଅସ୍ତ୍ର ହୋଇଥିଲା । ଖବରକାଗଜରେ ପୃଷ୍ଠା ପୃଷ୍ଠା ବାହାରୁଥିଲା । ଓଡ଼ିଶାରେ ନାରୀ ନିର୍ଯାତନା କଥା କହିଲା ବେଳକୁ ପିପିଲି ପୀଡ଼ିତାର କାହାଣୀ କୁହାଯାଉଥିଲା । ହେଲେ କୋର୍ଟର ରାୟ ବାହାରିଲା ବେଳକୁ ପିପିଲି ପୀଡ଼ିତାକୁୁ କେହି ମାରି ନାହାନ୍ତି ।ପିପିଲି ପୀଡ଼ିତାର ଗଳାରେ ଫାସ ଲଗାଯାଇଥିଲା, ଦୀର୍ଘଦିନ ଧରି କୋମାରେ ପଡ଼ିଥିଲେ । ମାମଲା ଥାନାକୁ ଯାଇଥିଲେ ବି ମାମଲା ରୁଜୁ ହୋଇନଥିଲା । ମାନବାଧିକାର କମିଶନ, ହାଇକୋର୍ଟ ମାମଲାରେ ହସ୍ତକ୍ଷେପ କରିଥିଲେ । କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଶେଷରେ ଆଖି ବୁଜି ଦେଇଥିଲେ ପିପିଲି ପୀଡ଼ିତା ।ବିରୋଧୀ ଶାସକ ଦଳକୁ ଘେରିଥିଲେ । ଶେଷରେ କ୍ରାଇମବ୍ରାଂଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ୨୦୧୧ ମସିହା ୨୯ ନଭେମ୍ବରରୁ ୨୪ ଡିସେମ୍ବର ୨୦୧୮, ଶେଷରେ କୋର୍ଟର ରାୟ ବାହାରିଲା ଆଉ ପିପିଲି ପୀଡ଼ିତାର ହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି । ନିର୍ଦ୍ଦୋଶରେ ଖଲାସ୍ ହେଲେ ଅଭିଯୁକ୍ତ ।ଘଟଣାକ୍ରମ ଉପରେ ନଜର ପକାନ୍ତୁ । ଅଭିଯୋଗ ହୋଇଥିଲା, ପିପିଲି ପୀଡ଼ିତା ୨୦୧୧, ନଭେମ୍ବର ୨୮ ସକାଳ ୭.୧୫ରେ ଘର ନିକଟ ଏକ ଗହିରକୁ ଶୌଚ ପାଇଁ ଯାଇଥିଲେ । ୭ଟା ୪୫ରେ ଜଣେ ଟ୍ରାକ୍ଟର ଡ୍ରାଇଭର, ପିପିଲି ପୀଡ଼ିତାକୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ନେଇ ଘର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଘଟଣା ସ୍ଥଳରେ ଉଲଗ୍ନ ଅବସ୍ଥାରେ ଝିଅକୁ ଦେଖିବାକୁ ପାଇଥିଲେ । ପ୍ରଥମେ ପିପିଲି ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବେକ ଚିପି ତାଙ୍କୁଏଭଳି ଅବସ୍ଥା କରାଯାଇଥିବା ଡାକ୍ତର କରିଥିଲେ ।କଟକ ମେଡ଼ିକାଲର ତଳେ ପଡି ପଡି ଝିଅର ପିଠିରେ ଘା ହୋଇଯାଇଥିଲା । ଭୁବନେଶ୍ୱରରେ ରହୁଥିବା ଜଣେ ସଂପର୍କୀୟଙ୍କ ଘରକୁ ଆଣି ଘରୋଇ ହସ୍ପିଟାଲରେ ଚିକିତ୍ସା କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟରେ ସୁଧାର ଆସିନଥିଲା । ସେତେବେଳେକୁ ପିପିଲି ପୀଡ଼ିତା କଥା କହିପାରୁନଥିଲେ, କିନ୍ତୁ ବଂଚିଥିଲେ । ଝିଅକୁ ବଳାକ୍ରାର କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ଝିଅର ବେକକୁ କିଏ ଚିପିଲା ତାକୁ ନେଇ ବି ସନ୍ଦେହ ବଢ଼ିଥିଲା ।
ଅନେକ ଥର ଥାନାରୁ ଫେରି ଅସହାୟ ହୋଇଥିଲେ ପରିବାର ଲୋକ । ପିପିଲି ପୀଡ଼ିତାକୁ ଅଟୋ ପଛ ସିଟ୍ରେ ରଖି ଆଣି ମହିଳା କମିଶନ ପାଖକୁ ଆସିଥିଲେ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଲଢେଇର ପୁରା ଅଧ୍ୟାୟ । ଗଣମାଧ୍ୟମରେ ଘନ ଘନ ଚର୍ଚ୍ଚା ହେବା ସହ ସରକାରୀ ଓ ବେସରକାରୀ ତତ୍ପରତା ପ୍ରକାଶ ପାଇଥିଲା । ପିପିଲି ପୀଡ଼ିତା କୋମାରେ ଥିବାରୁ କଟକ ବଡ ମେଡିକାଲ ନିଆଯାଇଥିଲା । ଡାକ୍ତରମାନେ ଫେରାଇ ନେବା ପାଇଁ କହିଥିଲେ । ମାମଲାକୁ ନେଇ ରାଜନୀତି ବଢ଼ିଥିଲା । ଆଉ ସାମାଜିକ ସଂଗଠନ ଏବଂ ରାଜନୈତିକ ଦଳ ଗୁଡ଼ିକ ରାସ୍ତାକୁ ଓହ୍ଲାଇଥିଲେ । ଶେଷରେ ଜୀବନ ସହ ସଂଘର୍ଷ କରୁଥିବା ପିପିଲି ପୀଡ଼ିତାର ମୃତ୍ୟୁ ହୋଇଥିଲା ।
୨୦୧୨ ମସିହା, ଜାନୁୟାରୀ ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନକୁ ଗିରଫ କରାଯାଇଥିଲା । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ମାମଲାକୁ ଗୁରୁତ୍ୱ ଦେଇନଥିବା ପୁଲିସ ଅଧିକାରୀ ଚାକିରିରୁ ବହିଷ୍କୃତ ହୋଇଥିଲେ । ମାମଲାକୁ ପୁଲିସ୍ ଚାପିଦେବାକୁ ଉଦ୍ୟମ କରିଥିଲା ବୋଲି କ୍ରାଇମବ୍ରାଂଚ ଚାର୍ଜସିଟ୍ରେ ଉଲ୍ଲେଖ କରିଥିଲେ । ମାମଲା କୋର୍ଟକୁ ଯାଇଥିଲା । ୯୯ ଜଣଙ୍କ ମଧ୍ୟରୁ ୭୬ ଜଣ ସାକ୍ଷୀ ଦେଇଥିଲେ । ୧୫ ଜଣ ଡାକ୍ତରଙ୍କ ବୟାନ ନିଆଯାଇଥିଲା । ଏହି ସଂପର୍କୀୟ ମାମଲାରେ ୪୯ଟି ଡକ୍ୟୁମେଂଟ୍ କୋର୍ଟରେ ରଖାଯାଇଥିଲା ।
ଏଠି ପ୍ରଶ୍ନ ହେଉଛି । କାହିଁକି ଏତେ ବଡ ଅପରାଧରେ ସଂପୃକ୍ତ ଅପରାଧୀଙ୍କୁ ଦଣ୍ଡ ଦିଆଯାଇପାରିଲା ନାହିଁ । ମାମଲା ଏତେ ଭୟଙ୍କର ଥିଲା, ମୃତ୍ୟୁ ପୂର୍ବରୁ ଡାକ୍ତର ଠାରୁ ପୁଲିସ୍ ଯାଏଁ ପିପିଲି ପୀଡ଼ିତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଅଭିଯୋଗ ହେଲା । ଏହି ଭଳି ଏକ ସଂଘାତିକ ହତ୍ୟକାଣ୍ଡ ପାଇଁ ଅପରାଧୀଙ୍କୁ ଦଣ୍ଡ ଦିଆଯାଇ ପାରିଲା ନାହିଁ ।
ଆମ ବ୍ୟବସ୍ଥାରେ ଯେ ପର୍ଯ୍ୟନ୍ତ ଗଣମାଧ୍ୟମର ଦୃଷ୍ଟି ଥାଏ, ରାଜନୀତି ଉଷ୍ମ ଥାଏ, ଘଟଣା ଉପରେ ସମସ୍ତଙ୍କର ନଜର ଥାଏ ସେହିଦିନ ପର୍ଯ୍ୟନ୍ତ ପ୍ରସଙ୍ଗକୁ ନେଇ ସମସ୍ତେ ତତ୍ପରତା ଦେଖାନ୍ତି । ବୟାନବାଜି ଚାଲେ, ଅପାରଗତାକୁ ଦ୍ୱାହି ଦେଇ ରାଜନୀତି ଆଗକୁ ବଢେ । ହେଲେ ଯେଉଁ ଦିନ ମିଡ଼ିଆର ଦୃଷ୍ଟି ହଟିଯାଏ, ରାଜତୀତିର ଉଷ୍ମତା କମିଯାଏ, ସବୁ କିଛି ବନ୍ଦ ହୋଇଯାଏ ।
ଅଭିଯୁକ୍ତର ଲାଏ ଡିଡେକସନ୍ ଟେଷ୍ଟ ହୋଇଥିଲା । ଯେଉଁଥିରେ ଅଭିଯୁକ୍ତ ହତ୍ୟା କରିଥିବା ନେଇ ମାନିଥିବା କୁହାଗଲା । କିନ୍ତୁ ସୁପ୍ରମିକୋର୍ଟଙ୍କ ଗାଇଡଲାଇନ ଆଧାରରେ ଏହାକୁ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିଲା ନାହିଁ । ମାମଲା ସତ୍ୟ, ଘଟଣାଟି ସତ୍ୟ କିନ୍ତ ଅପରାଧୀ ମୁକ୍ତ । ଗୋଟିଏ ଅସହାୟ ଝିଅକୁ ତଂଟି ଚିପି ବିଲରେ ପକାଇ ଦିଆଗଲା । ପରେ ମୃତ୍ୟୁ ହେଲା । ଯାହାକୁ ନେଇ ସାରା ଓଡ଼ିଶା ଉଦବେଗ ପ୍ରକାଶ କଲା, ମନ୍ତ୍ରୀ ଇସ୍ତଫା ଦେଲେ । ହେଲେ ଶେଷରେ ଅଭିଯୁକ୍ତ ଖଲାସ ହୋଇଗଲେ । ଏହା ଭିତରେ ନିର୍ବାଚନ ଲଢି ପୁଣି ମନ୍ତ୍ରୀ ହୋଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ କହୁଛନ୍ତି ଧର୍ମର ଜୟ ହେଲା ।
ବୁଝାପଡୁନାହିଁ, ମନ୍ତ୍ରୀ ମହାଶୟ କେଉଁ ଦିଗରୁ ସତ୍ୟର ବିଜୟ ହୋଇଛି ବୋଲି ଯୁକ୍ତି ବାଢିଛନ୍ତି? ପରିତାପ କରିବା ବଦଳରେ ଏଭଳି ଉକ୍ତି ରଖିବାର ଦିଗକୁ ନେଇ ବର୍ତ୍ତମାନ ସମୀକ୍ଷା କରାଯାଉଛି । ଅତୀତରେ ଏହି ପ୍ରସଙ୍ଗରେ ନୈତିକତାର ଦ୍ୱାହି ଦେଇଥିବା ପ୍ରଦୀପ ମହାରଥୀ ଆଜି ଏଭଳି ଯୁକ୍ତି ରଖିବା ବେଳେ କମସେ କମ ଏତିକି ଅନୁଶୀଳନ କରିବାର ଆବଶ୍ୟକତା ଥିଲା, କେଉଁ ସତ୍ୟର ଦିଗକୁ ସେ ଗଣମାଧ୍ୟମ ଜରିଆରେ ରଖିବାକୁ ଚାହୁଁଛନ୍ତି?
ପୁରା ପ୍ରକରଣ ଭିତରେ ସମସ୍ତେ ନିଜ ନିଜ ଦାୟିତ୍ୱକୁ ଭୂଲିବାର ଗୋଟିଏ ବଡ ପ୍ରକରଣ ସାମ୍ନାକୁ ଆସୁଛି । ଯେତେବେଳେ ଗଣମାଧ୍ୟମ ଠାରୁ ଆରମ୍ଭ କରି ସାମାଜିକ କର୍ମୀ ଯେଉଁମାନେ ସକାଳୁ ସନ୍ଧ୍ୟା ଯାଏଁ ଘଟଣାକୁ ନେଇ ଗର୍ଜୁଥିଲେ ଆଉ ରାଜନେତାଙ୍କ ଠାରୁ ଆରମ୍ଭ କରି ତଦନ୍ତକାରୀ ସଂସ୍ଥା ଯାଏଁ ଯେଉଁମାନେ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ ସେମାନେ ଆଜି ନିଜର ଦାୟିତ୍ୱର ବିଶ୍ଳେଷଣ କରିବାର ମଧ୍ୟ ଆବଶ୍ୟକତା ରହୁଛି ।
ରାୟର କପି ମିଳିବା ପରେ ଉପରକୋର୍ଟକୁ ଯିବାକୁ ପୋଲିସ ଅଧିକାରୀ ମତ ରଖିଛନ୍ତି । ହେଲେ ଉପରକୋର୍ଟ ଗଲେ ମଧ୍ୟ କଣ ଲାଭ ମିଳିବ? ଯେତେବେଳେ ତଳ କୋର୍ଟରେ ତମାମ ତଥ୍ୟ ପ୍ରମାଣକୁ ଉପସ୍ଥାପନ କରିବାକୁ ତଦନ୍ତକାରୀ ସଂସ୍ଥା ବିଫଳ ହେଲା, ଆଗାମୀ ଦିନରେ କଣ ଏମିତି ତଥ୍ୟ ହାସଲ କରିଦେବ ଯାହାକୁ ଆଧାର କରି ଦୋଷୀକୁ ଦଣ୍ଡ ଦିଆଯାଇ ପାରିବ?
ହଁ, ଏହାରି ଭିତରେ କେବଳ ଏତିକି ହୋଇପାରିବ, ପୋଲିସ ଉପରକୋର୍ଟକୁ ଗଲା ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବ, ଆଉ ବିଚାର ବ୍ୟବସ୍ଥାରେ ସାତ ବର୍ଷ ବିତିଯିବ । ତଥ୍ୟ ପ୍ରମାଣ ଅଭାବରୁ ହୁଏତ ପୁଣି ଥରେ ଅପରାଧୀ ଖଲାସ ହୋଇଯିବେ ଆଉ ଧୀରେ ଧୀରେ ଲୋକଙ୍କ ମନରୁ ଏହା ଦୂରେଇ ଯିବ ଯେ, ପିପିଲିରେ ସମସ୍ତଙ୍କୁ ଚମକାଇ ଦେଲା ଭଳି କିଛି ଗୋଟିଏ ଘଟଣା ଘଟିଥିଲା । ମନ୍ତ୍ରୀ ମହାରଥୀଙ୍କ ମହାନ ବୟାନ ଆଜି ସମସ୍ତଙ୍କ ମନରେ କ୍ରୋଧ ସୃଷ୍ଟି କରିବା ଆବଶ୍ୟକ, ସତ୍ୟର କିଭଳି ଜୟ ହେଲା?