ଧର୍ମେନ୍ଦ୍ରଙ୍କ ମୁହଁରେ ଜବାବ ଦେଲେ ନେତା,କହିଲେ ପାର୍ଟି କଣ ତମ ପୈତୃକ ସଂପତ୍ତି ?

ଅନୁଗୋଳ (ଏନଟିପି)

ବିଜେପିରେ ଦଳୀୟ ଅସନ୍ତୋଷ ସୀମା ଟପିଲାଣି । ଚରମ ସ୍ତରକୁ ଯାଇଛି ବିବାଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟରେ ରହିଥିବା ବେଳେ ଏହାର ଏକ ଝଲକ ଅନୁଗୁଳରେ ବଅଁରପାଳ ଅଞ୍ଚଳରେ ଦେଖିବାକୁ ମିଳିଛି । ଜିଲ୍ଲା ଓବିସି ମୋର୍ଚା ସଭାପତି ଦିଲ୍ଲୀପ ପ୍ରଧାନ ଆଜି ଖୋଲାଖୋଲି ଧର୍ମେନ୍ଦ୍ରଙ୍କ ମୁହଁରେ ଜବାବ ଦେଇଛନ୍ତି । ପାର୍ଟି କଣ ତମ ପୈତୃକ ସଂପତ୍ତି ବୋଲି ପ୍ରଶ୍ନ କରିବାକୁ ପଛାଇନାହାନ୍ତି । ଏଭଳି ପରିସ୍ଥିତିରେ ଧର୍ମେନ୍ଦ୍ର ଅପମାନିତ ହୋଇ ଫେରିଥିବା ଜଣାପଡିଛି

ବଅଁରପାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଥିଲା ରୌପ୍ୟ ଜୟନ୍ତୀ । ଏହି ଉତ୍ସବରେ ଯୋଗଦେବାକୁ ହେଲିକପ୍ଟର ଯୋଗେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବାହ୍ଣ ୧୧ଟା ୧୫ ମିନିଟରେ ଗଡ଼ସନ୍ତ୍ରୀସ୍ଥିତ ନେହରୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ଶୋଭାଯାତ୍ରାରେ ଶିଶୁ ମନ୍ଦିରକୁ ନିଆଯାଇଥିଲା । ଉତ୍ସବ ସାରି ଫେରିଲା ବେଳକୁ ହେଲିପ୍ୟାଡ୍‌ରେ ଉପସ୍ଥିତ ଦଳର କେତେକ ସ୍ଥାନୀୟ ବରିଷ୍ଠ ନେତାଙ୍କ ସହ ଆଲୋଚନା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପ୍ରତାପ ପ୍ରଧାନ (ନିଲୁ)ଙ୍କୁ ଅନୁଗୁଳ ନିର୍ବାଚନମଣ୍ଡଳୀ ପାଇଁ ଏମ୍‌ଏଲ୍ଏ ଟିକେଟ୍ ଦେବାକୁ ସ୍ଥିର ହୋଇଛି କହିବାରୁ ଉତ୍ତେଜିତ ହୋଇ ପଡ଼ିଥିଲେ ପାର୍ଟିର ଜିଲ୍ଲା ଓବିସି ମୋର୍ଚା ସଭାପତି ଦିଲୀପ ପ୍ରଧାନ । କ୍ରୋଧ ସମ୍ବରଣ କରି ନପାରି କହିଥିଲେ କାହାରି ସହିତ ଆଲୋଚନା ନକରି ଏପରି ନିଷ୍ପତ୍ତି କେମିତି ନେଲ ? ଦଳରେ କ’ଣ ଆଉ କେହି ନାହାନ୍ତି ?’ ଏଭଳି ଅପ୍ରତ୍ୟାଶିତ ପ୍ରଶ୍ନରେ ଧର୍ମେନ୍ଦ୍ର ଅପମାନିତ ହୋଇ ଦିଲ୍ଲୀପଙ୍କୁ କହିଥିଲେ ‘ତୁମେ ଦଳରେ ଅଧିକ ବିଶୃଙ୍ଖଳା କରୁଛ । ଯିଏ ମୋ ନିଷ୍ପତ୍ତିରେ ଏକମତ ହେବ ନାହିଁ, ସେ ଦଳରୁ ବାହାରିଯାଉ’ । କେବଳ ସେତିକି ନୁହେଁ, ଆଜି ସଂଧ୍ୟାସୁଦ୍ଧା ଦଳ ଛାଡ଼ିବାକୁ କହିଥିଲେ । ଏହାକୁ ନେଇ ଧର୍ମେନ୍ଦ୍ର ଓ ଦିଲୀପଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦିଲୀପ ଦବିନଯାଇ ‘ତମେ କିଏ ? ପାର୍ଟି କଣ ତମ ପୈତୃକ ସଂପତ୍ତି ବୋଲି କହିଥିଲେ । ଏଭଳି ବାକ୍ୟ ଶୁଣିବା ପରେ ସେଠାରେ ନରହି ତୁରନ୍ତ ଧର୍ମେନ୍ଦ୍ର ହେଲିକପ୍ଟର ଯୋଗେ ଫେରିଯାଇଥିବା ଜଣାପଡିଛି ।

Follow by Email
WhatsApp